ହରେନ୍ଦ୍ର ସିଂହ ମହିଳା ହକି ଦଳର ହାଇ ପରଫର୍ମମାନ୍ସ ପ୍ର
ନୂଆଦିଲ୍ଲୀ : ଭାରତୀୟ ପୁରୁଷ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ସ୍ୟୋଏର୍ଡ
ମ୍ୟାରିୟେନେଙ୍କୁ ନିଯୁକ୍ତ କରାଯାଇଥିବା କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ରାଜ୍ୟବର୍ଦ୍ଧନ
ସିଂହ ରାଠୋର ଶୁକ୍ରବାର ଘୋଷଣା କରିଛନ୍ତି । ମ୍ୟାରିୟେନେ ବର୍ତ୍ତମାନ ଭାରତୀୟ ସିନିୟର
ମହିଳା ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି ।
ଅନ୍ୟପକ୍ଷରେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ହରେନ୍ଦ୍ର ସିଂହଙ୍କୁ ମହିଳା ହକି
ଦଳର ହାଇ ପରଫର୍ମମାନ୍ସ ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଥିବା ଜଣାପଡ଼ିଛି ।
ସୂଚନାଥାଉକି ଅନ୍ତର୍ଜାତୀୟ ମ୍ୟାଚ୍ ଗୁଡ଼ିକରେ ଭାରତୀୟ ଦଳର ନୈରାଶ୍ୟଜନକ ପ୍ରଦର୍ଶନ
ପରେ ହକି ଇଣ୍ଡିଆ ମୁଖ୍ୟ ପ୍ରଶିକ୍ଷକ ପଦରୁ ଓଲଟ୍ମ୍ୟାନସ୍ଙ୍କୁ ବହିଷ୍କାର କରିଥିଲା ।
ତାଙ୍କ ସ୍ଥାନରେ ଡେଭିଡ ଜନ୍ଙ୍କୁ ଅସ୍ଥାୟୀ ଭାବେ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି
ମିଳିଥିଲା ।
ଉଭୟ ମ୍ୟାରିୟେନେ ଓ ହରେନ୍ଦ୍ର ୨୦୨୦ ଟୋକିଓ ଅଲିମ୍ପିକ୍ସ ପର୍ଯ୍ୟନ୍ତ ଦାୟିତ୍ୱରେ
ରହିବେ ବୋଲି ହକି ଇଣ୍ଡିଆର ଜଣେ ବରିଷ୍ଠ ପଦାଧିକାରୀ ସୂଚନା ଦେଇଛନ୍ତି । ସାଇ ଓ ହକି
ଇଣ୍ଡିଆ ପଦାଧିକାରୀଙ୍କ ଏକ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ
ମ୍ୟାରିୟେନେଙ୍କୁ ସିନିୟର ପୁରୁଷ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଓ ହରେନ୍ଦ୍ରଙ୍କୁ ମହିଳା
ହକି ଦଳର ହାଇ ପରଫର୍ମମାନ୍ସ ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯିବାକୁ ନିଷ୍ପତ୍ତି
ହୋଇଥିବା କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ଜାରି ଏକ ବିଜ୍ଞପ୍ତିରେ ଦର୍ଶାଯାଇଛି । ନୂତନ
ଦାୟିତ୍ୱକୁ ମ୍ୟାରିୟେନେ ଗ୍ରହଣ କରିଥିବା କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ଜାରି
ବିଜ୍ଞପ୍ତିରେ ଦର୍ଶାଯାଇଛି ।
୪୩ ବର୍ଷୀୟ ମ୍ୟାରିୟେନେ ଗତ ଫେବୃଆରୀରେ ଭାରତୀୟ ମହିଳା ଦଳର ମୁଖ୍ୟ ପ୍ରଶିକ୍ଷକ
ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ତେବେ ସେ ଭାରତୀୟ ସିନିୟର ପୁରୁଷ ଦଳ ସହ ପୂର୍ବରୁ
କାମ କରିନଥିବାରୁ ଏହି ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିବାକୁ ପ୍ରଥମେ ଅମଙ୍ଗ
ହେଉଥିଲେ । ହକି ଇଣ୍ଡିଆ ଓ ସାଇର ଅଧିକାରୀମାନେ ମ୍ୟାରିୟେନେଙ୍କୁ ବୁଝାଶୁଝା କରିବା
ପରେ ସେ ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ରାଜି ହୋଇଥିବା ଜଣାପଡ଼ିଛି
।
ମ୍ୟାରିୟେନେଙ୍କୁ ସିନିୟର ପୁରୁଷ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ୱ ଦେଇ ହକି
ଇଣ୍ଡିଆ ଭୁଲ୍ ନିଷ୍ପତ୍ତି ନେଇଥିବା ବହୁ ପୁରାତନ ହକି ଖେଳାଳି ମତ ଦେଇଛନ୍ତି ।
ସିନିୟର ପୁରୁଷ ଦଳ ସହ କାମ କରିବାରେ ମ୍ୟାରିୟେନେଙ୍କ କୌଣସି ଅଭିଜ୍ଞତା ନାହିଁ ଏବଂ
ଆସନ୍ତା ୧୬ ମାସରେ ଭାରତୀୟ ପୁରୁଷ ଦଳ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଏସିଆନ୍ ଗେମ୍ସ ଓ
ବିଶ୍ୱକପ୍ ଖେଳିବାକୁ ଯାଉଥିବା ବେଳେ ମ୍ୟାରିନେଙ୍କ ନିଯୁକ୍ତି ଦଳ ପାଇଁ ସୁଫଳ ଆଣିବା
ସମ୍ଭାବନା କମ୍ ବୋଲି ଆଲୋଚନା ହେଉଛି । ଅନ୍ୟପକ୍ଷରେ ହରେନ୍ଦ୍ର ସିଂହ ପୂର୍ବରୁ
ଭାରତୀୟ ସିନିୟର ପୁରୁଷ ଖେଳାଳିଙ୍କ ସହ ପରିଚିତ ଥିବାରୁ ତାଙ୍କୁ ମୁଖ୍ୟ ପ୍ରଶିକ୍ଷକ
ଭାବେ ନିଯୁକ୍ତ କରାଯାଇଥିଲେ ଅଧିକ ଲାଭ ମିଳିଥାନ୍ତା ବୋଲି ଆଲୋଚନା ହେଉଛି ।
ମ୍ୟାରିୟେନେ ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ସିନିୟର ପୁରୁଷ ଦଳ
କେତେ ଲାଭବାନ୍ ହେଉଛି ତାହା ଦେଖିବାକୁ ବାକି ରହିଲା ।
ଶିକ୍ଷକ
Comments
Post a Comment