ସୁପ୍ରିମକୋର୍ଟଙ୍କୁ ନୂତନ ସମ୍ବିଧାନ ପ୍ରଦାନ କରିବ ସିଓଏ

ବିସିସିଆଇର ନୂତନ ସମ୍ବିଧାନ

 

 

ସୁପ୍ରିମକୋର୍ଟ ଦ୍ବାରା ନିଯୁକ୍ତ ବିସିସିଆଇର ୨ ଜଣିଆ ପ୍ରଶାସକ କମିଟି (ସିଓଏ) ବିସିସିଆଇ ଓ ରାଜ୍ୟ କ୍ରିକେଟ ଆସୋସିଏସନ୍‌ ଲାଗି ନୂତନ ସମ୍ବିଧାନ ପ୍ରସ୍ତୁତ କରିସାରିଛି । ଚଳିତମାସ ୧୧ରେ ସିଓଏ ସୁପ୍ରିମକୋର୍ଟଙ୍କୁ ଏହି ସମ୍ବିଧାନ ପ୍ରଦାନ କରିବ ବୋଲି କହିଛି । ଗତମାସ ୨୩ରେ ସୁପ୍ରିମକୋର୍ଟରେ ସିଓଏ ଲୋଧା କମିଟି ସୁପାରିସ ଲାଗୁକରିବା ନେଇ ୫ମ ସ୍ଥିତାବସ୍ଥା (ଷ୍ଟାଟସ୍‌) ରିପୋର୍ଟ ପ୍ରଦାନ କରିଥିଲେ । ଲୋଧା କମିଟି ସୁପାରିସକୁ ସମ୍ପୂର୍ଣ୍ଣ ଭାବେ ଲାଗୁକରିବା ଲାଗି ୨୦୧୬ ଜୁଲାଇ ୧୮ରେ ସୁପ୍ରିମକୋର୍ଟ ନିର୍ଦେଶ ଦେବା ଏବଂ ୨୦୧୭ ଜୁଲାଇ ୨୪ରେ ସୁପାରିସ ଲାଗୁ କରିବାକୁ ସୁପ୍ରିମକୋର୍ଟ ଆଦେଶ ଦେବା ପରେ ମଧ୍ୟ ବିସିସିଆଇ କିମ୍ବା ରାଜ୍ୟ ଆସୋସିଏସନ୍‌ ଏହାକୁ ସମ୍ପୂର୍ଣ୍ଣଭାବେ ଲାଗୁ କରିନଥିବାରୁ ଜଷ୍ଟିସ୍‌ ଦୀପକ ମିଶ୍ର, ଜଷ୍ଟିସ୍‌ ଏ.ଏମ୍‌. ଖାନୱିଲକର ଓ ଜଷ୍ଟିସ୍‌ ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ପୀଠ ଅତ୍ୟନ୍ତ ବିରକ୍ତି ପ୍ରକାଶ କରିଥିଲେ । ଏହାସହ ବିସିସିଆଇ ପାଇଁ ଏକ ନୂତନ ସମ୍ବିଧାନ ଅଗଷ୍ଟ ୩୦ ସୁଦ୍ଧା ପ୍ରସ୍ତୁତ କରିବା ଲାଗି ସୁପ୍ରିମକୋର୍ଟ ସିଓଏକୁ ନିର୍ଦେଶ ଦେଇଥିଲେ ।

ଅଧ୍ୟକ୍ଷ ବିନୋଦ ରାୟ ଓ ସଦସ୍ୟା ଡାଏନା ଏଡୁଲ୍‌ଜିଙ୍କୁ ନେଇ ଗଠିତ ସିଓଏ ନୂତନ ସମ୍ବିଧାନ ପ୍ରସ୍ତୁତ କରିବା ପରେ ଶୁକ୍ରବାର ବିସିିସିଆଇର ସିଇଓ ରାହୁଲ ଜୋହରି ଓ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ କ୍ରିକେଟ ସଂଘର କର୍ମକର୍ତ୍ତାଙ୍କ ସହ ଏହାକୁ ନେଇ ଆଲୋଚନା କରିଥିଲେ । ବୈଠକ ପରେ ସିଓଏ ଅଧ୍ୟକ୍ଷ ବିନୋଦ ସାମ୍ବାଦିକମାନଙ୍କୁ କହିଥିଲେ, ଆମେ ସମ୍ବିଧାନ ପ୍ରସ୍ତୁତ କରିସାରିଛୁ ଏବଂ ସୁପ୍ରିମକୋର୍ଟରେ ଲୋଧା ସୁପାରିସ ମାମଲାର ପରବର୍ତ୍ତୀ ଶୁଣାଣି ତାରିଖ ସେପ୍ଟେମ୍ବର ୧୯ର ଯଥେଷ୍ଟ ପୂର୍ବରୁ ଏହା ସୁପ୍ରିମକୋର୍ଟଙ୍କୁ ପ୍ରଦାନ କରିବୁ । ଏହା ଆମର ୬ଷ୍ଠ ସ୍ଥିତାବସ୍ଥା ରିପୋର୍ଟ ହେବ । ତେବେ ଲୋଧା କମିଟି ସୁପାରିସ ଲାଗୁ କରାଗଲେ କଲକାତା ନ୍ୟାସନାଲ କ୍ରିକେଟ କ୍ଲବ୍‌ (ଏନ୍‌ସିସି) ଓ ମୁମ୍ବଇର କ୍ରିକେଟ କ୍ଲବ୍‌ ଅଫ୍‌ ଇଣ୍ଡିଆ (ସିସିଆଇ) ସେମାନଙ୍କ ପୂର୍ଣ୍ଣ ସଦସ୍ୟତା ହରାଇବେ କି ବୋଲି ପ୍ରଶ୍ନହେବାରୁ ବିନୋଦ ରାୟ କହିଥିଲେ, ଏହି ୨ଟି କ୍ଲବ୍‌ କେତେ କ୍ରିକେଟ ଖେଳୁଛନ୍ତି; ତା’ର ନିଷ୍ପତ୍ତି ସୁପ୍ରିମକୋର୍ଟ ନେବେ ।

 

Comments